ଜୀବନଚିନ୍ତା

 

 

 

 

 

 

 

 

 

ଜୀବନ-ଚିନ୍ତା

ଭକ୍ତକବି ମଧୁସୂଦନ ରାଓ

 

ରେ ଆତ୍ମନ୍ ! ନିଦ୍ରା ପରିହରି

ଫେଡ଼ି ଚିନ୍ତାର ଲୋଚନ କର କର ନିରୀକ୍ଷଣ

ନିଃଶବ୍ଦେ ଜୀବନସ୍ରୋତ ଧାଉଁଛି କିପରି

ଭେଟିବାକୁ ମୃତ୍ୟୁ-ସିନ୍ଧୁ-କରାଳ-ଲହରୀ ।୧।

କି ବେଗରେ ଯାଉଅଛି ଚାଲି

ସେହି ସ୍ରୋତ ସଙ୍ଗେ ଭାସି ଜୀବନର ସୁଖରାଶି

ଯାହାର ସ୍ମରଣେ ନର ଶୋକଶ୍ୱାସ ଢାଳି

ଅତୀତକୁ ଉଦ୍‌ବୋଧଇ ବୃଥା ଭାଳି ଭାଳି ।୨।

ସ୍ୱପ୍ନସମ ନିଦ୍ରା-ପାରାବାରେ

କ୍ଷଣକେ ହୁଅଇ ଲୀନ ଗର୍ବ-ଦମ୍ଭ-ଅଭିମାନ

ସଂସାରରେ ଆଡ଼ମ୍ବର ବୁଦ୍‌ବୁଦ ଆକାରେ

ସକଳ ଗ୍ରାସଇ କାଳ-ମୁଖ ନିର୍ବିଚାରେ ।୩।

ସେ ସିନ୍ଧ-ତରଙ୍ଗ ମୁଖ ପ୍ରତି

ଆକୃଷ୍ଟ ଅଦୃଶ୍ୟଭାବେ ହେଉଅଛି ସବୁ ଭବେ

ମୃଦୁ ନିର୍ଝରିଣୀ, ମହାବେଗା ସ୍ରୋତସ୍ୱତୀ

ସୁଦୀନ ମନୁଷ୍ୟ, ମହାଯଶା ମହୀପତି ।୪।

ଭବସିନ୍ଧୁ ମାୟାଶୈଳମୟ

ସମସ୍ତ ଛଳନାପୂର୍ଣ୍ଣ, ସେ ଶୈଳେ ସର୍ବଦା ଚୂର୍ଣ୍ଣ

ହୁଅଇ ଆଶାର ତରୀ, କାମନାନିଚୟ

ବିଫଳ ସତତ, ଚିତ୍ତ ନୈରାଶ୍ୟ-ଆଳୟ ।୫।

ଜଗତର ଲୋଚନନନ୍ଦନ

ଯୁବତୀର ରକ୍ତାଧାର, ରମ୍ୟ ଜ୍ୟୋତି ନୟନର

ସ୍ୱର୍ଣ୍ଣ ଘନସମ ବକ୍ଷ, ଚାରୁ ପଦ୍ମାନନ,

ଇନ୍ଦ୍ରଧନୁ ଶୋଭାସମ ପଳାନ୍ତି ବହନ ।୬।

ଯୁବକର ତେଜ-ବୀର୍ଯ୍ୟ-ବଳ

ପ୍ରୌଢ଼ର ଚତୁର ଜ୍ଞାନ ସୁକୌଶଳ କାର୍ଯ୍ୟମାନ

କାଳର ପ୍ରଭାବେ ଦିନେ ହୋଇବ ବିଫଳ

କିସ ଏ ଜଗତେ କହ ସ୍ଥିର ଅଚଞ୍ଚଳ ! ।୭।

ଧନ-ମାନ-ଯଶ ଆଦି ଯାହା

ଭାଗ୍ୟଦେବୀ ପ୍ରସାଦରେ ଏ ଭବେ ଲଭନ୍ତି ନରେ

କାଳଚକ୍ର ଆବର୍ତ୍ତନେ କି ବେଗରେ ଆହା

ପଳାନ୍ତିରେ ଅନୁସରି ନିଜ ନିଜ ରାହା ! ।୮।

ବିମୋହନ ମନ୍ମଥ ବିଳାସ

ଟାଣେ ମନ ମାୟାଯନ୍ତ୍ରେ, ଭୁଲାଏ କପଟ ମନ୍ତ୍ରେ

କୌଶଳେ ଜନ୍ମଇ ଚିତ୍ତେ, କ୍ଷଣିକ ଉଲ୍ଲାସ

ରିପୁକୁଳ ବିପ୍ଳବକୁ କରାଏ ପ୍ରକାଶ ।୯।

ଆତ୍ମାରାଜ୍ୟେ ସେ ଭୀମ ବିପ୍ଳବେ

ଧର୍ମର ପୂଣ୍ୟ ରାଜତ୍ୱ, ପ୍ରଜ୍ଞାର ମହତ ତତ୍ତ୍ୱ

ହୁଏ ପରାହତ, ପାପ ଗର୍ଜ୍ଜଇ ଭୈରବେ

ପଳାୟନ କରେ ଶାନ୍ତି ସେହି ଉପଦ୍ରବେ ।୧୦।

ମୁକୁଟମଣ୍ଡିତ ରାଜଶିର

ନୁହଇ ଶାନ୍ତି-ଆସ୍ପଦ, ଆଶଙ୍କା ଭୟ ବିପଦ

ନିରନ୍ତର ରାଜ ମନ କରଇ ଅସ୍ଥିର

ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକୀର ।୧୧।

ଏ ସଂସାରେ ନାହିଁ ସୁଖ ଶାନ୍ତି

ଅହଙ୍କାର-ଦ୍ୱେଷ-ରୋଷ ଲୋଭ-ମୋହ-ଅସନ୍ତୋଷ

ଦୁଷ୍ଟ ରିପୁକୁଳ ଘୋର ଅନର୍ଥ ଘଟାନ୍ତି

ପାପର ଭୀଷଣାବର୍ତ୍ତେ ନରେ ନିକ୍ଷେପନ୍ତି ।୧୨।

କାହିଁ ଶାନ୍ତି, କାହିଁ ନିତ୍ୟସୁଖ

ଯାହା ଲଭିବାର ଲାଗି ଅଛି ଅବିରତ ଜାଗି

ଚିତ୍ତଗୃହେ ଆଶାଦୀପ ଉଜ୍ଜ୍ୱଳ ମୟୂଖ

କାହିଁ ଗଲେ ପାସୋରିବି ମୃତ୍ୟୁ ପାପ ଦୁଃଖ ।୧୩।

ରେ ହୃଦୟ ! ନ ହୁଅ କାତର

ସଂସାରର ବିଡ଼ମ୍ବନା ପାପ ସନ୍ତାପ ଯାତନା

ବିପଦ ଦୁର୍ଦ୍ଦିନତମ ଘୋର ଭୟଙ୍କର

ନିରେଖି ନିରାଶାବିଷେ ନ ହୁଅ ଜର୍ଜ୍ଜର ।୧୪।

ଧର ଧୈର୍ଯ୍ୟ ଘେନରେ ସାନ୍ତ୍ୱନା

ଅଛି ସେହି ମହାଧନ, ସେ ମହାସ୍ପର୍ଶରତନ

ସେ ଅମୃତ ମହୌଷଧି, ଯାହାର କାମନା

ଆଶା, ଜାଗ୍ରତ ସତତ, କରେ ଉଦ୍ଦୀପନା ।୧୫।

ସ୍ଥିର ହୁଅରେ ଚଞ୍ଚଳ ମନ

ଘେନ ମହାତତ୍ତ୍ୱ ଦୀକ୍ଷା, ଜୀବନ ପରମ ଶିକ୍ଷା

ତେବେରେ ଲଭିବୁ ସେହି ପ୍ରାଣାରାମ ଧନ

ଆକୁଳ ହୃଦୟ କରେ ଯାହାର ଅନ୍ୱେଷଣ ।୧୬।

ଧୂଳିର ଏ ମର କଳେବର

ଆହୋ ମାନବଜୀବନ କି ଅଦ୍ଭୁତ ଉଦ୍ଭାବନ !

ବିରାଜେ ଅମର ଆତ୍ମା ଦିବ୍ୟ ସୌନ୍ଦର୍ଯ୍ୟରେ

କମଳ ଶୋଭଇ ଯଥା ପଙ୍କମୟ ସରେ ।୧୭।

ଏ ସଂସାର ଅନ୍ଧକାର ସ୍ଥାନ

ଅନ୍ଧାରେ ହେଲେ ଜଡ଼ିତ ନ ହୁଅଇ ବିକଶିତ

ଜୀବାତ୍ମା-କୁସୁମ ଏଥି, ହୁଏ ମ୍ରିୟମାଣ-

ହରାଇଣ ଦିବ୍ୟଶୋଭା ପ୍ରେମ-ଭକ୍ତି-ଜ୍ଞାନ ।୧୮।

ଦିବାକରେ ନିରେଖି ଗଗନେ

ହର୍ଷେ ଫୁଟେ ପଦ୍ମଫୁଲ ତେସନେ ଆତ୍ମା ପ୍ରଫୁଲ୍ଲ

ଅନନ୍ତ ମଙ୍ଗଳାଳୟ ବିଭୁ ଦରଶନେ

ପୂଣ୍ୟର ତପନ ଯେହୁ ପାପର ଭୁବନେ ।୧୯।

ଯହିଁ ତେବେ ଭୁଞ୍ଜନ୍ତି ଅମୃତ

ବିଭୁପାଦପଦ୍ମ ପାଶେ, ପୁଣ୍ୟ ଜୋତିର୍ମୟ ବାସେ

ରୋଗ ପାପ ମୃତ୍ୟୁ ଆଦି ଯହିଁ ପରାଭୂତ

ସେ ସୁଧାମ ଲାଗି ଆତ୍ମା ସଦା ପିପାସିତ ।୨୦।

ଏ ପିପାସା ନୁହଇ ନିବାରି

ଅସାର ସଂସାରଜଳେ, ରିପୁଚୟ କୋଳାହଳେ

ନୋହେ ନିର୍ବାପିତ କେଭେ; ଏକା ଧର୍ମବାରି

ଶମଇ ଏ ମହା ଅଗ୍ନି ଅମୃତ ସଞ୍ଚାରି ।୨୧।

ତେବେ ଆରେ ଅସ୍ଥିର ହୃଦୟ

ତ୍ୟଜି କୁତ୍ସିତ ବାସନା କର ତାଙ୍କ ଆରାଧନା

ଧର୍ମରାଜ ପ୍ରଭୁ ଯେହୁ ମଙ୍ଗଳ-ଆଳୟ

ଅମୃତଜୀବନଦାତା ବ୍ରହ୍ମାଣ୍ଡ ଆଶ୍ରୟ ।୨୨।

ପରିହରି ପାପ ପ୍ରଲୋଭନ

ଉଜ୍ଜ୍ୱଳ କର ବିଶ୍ୱାସ, ସ୍ୱାର୍ଥ ଅହଙ୍କାର ନାଶ

କରରେ ହୃଦୟାକାଶ ନିର୍ମଳ ବହନ

ତେବେରେ ଲଭିବୁ ଧର୍ମରସ ଆସ୍ୱାଦନ ।୨୩।

ପ୍ରୀତିମୟ ଜୀବନରତନ

ଦେବେ ତୋତେ ପରମେଶ, ତାଙ୍କର ପବିତ୍ରାଦେଶ

ନିଃସ୍ୱାର୍ଥ ପବିତ୍ର ଚିତ୍ତେ କରରେ ସାଧନ

ଜଗତର ହିତ ଅର୍ଥେ ଦିଅରେ ଜୀବନ ।୨୪।

ହେ ଇଶ୍ୱର ପରିତତାରଣ

ପ୍ରାଣାରାମ ନିରଞ୍ଜନ, ଭୟ ବିଘ୍ନବିନାଶନ

ତୁମ୍ଭେ ପ୍ରଭୁ ସନ୍ତାପିତ ପ୍ରାଣର ଚନ୍ଦନ

ସଂସାର-ବିଷାକ୍ତ-ନେତ୍ରେ ତୁମ୍ଭେ ହେ ଅଞ୍ଜନ ।୨୫।

ଆସ ନାଥ ଅଗତିର ଗତି

ତୁମ୍ଭ ବିନା ଏ ସଂସାରେ ମରଇ ମୁଁ ହାହାକାରେ

ତାର ମୋତେ ମହାପ୍ରଭୁ ଦେଇଣ ସୁମତି

ଅନନ୍ତ ଦୟା ତୁମ୍ଭର, ଅନନ୍ତ ଶକତି ।୨୬।

Image